ମୁମ୍ଵାଇ ୩୦।୧୨; ଅଭିନେତା ଆମିର ଖାନ୍ଙ୍କ ପୁଅ ଜୁନୈଦ୍ ଖାନ୍ ଓ ଶ୍ରୀଦେବୀଙ୍କ ଝିଅ ଖୁସି କପୁର ଥିଏଟରରେ ଡେବ୍ୟୁ କରିବା ଲାଗି ସଂପୂର୍ଣ୍ଣ ପ୍ରସ୍ତୁତ। ଉଭୟଙ୍କ ଯୋଡି଼କୁ ଏକ ରୋମାଣ୍ଟିକ ଡ୍ରାମାରେ ଦେଖିବାକୁ ମିଳିବ ବୋଲି ବେଶ୍ କିଛି ଦିନ ହେଲା ଚର୍ଚ୍ଚା ଚାଲିଥିଲା । ଏବେ ନିର୍ମାତାମାନେ ସେହି ଫିଲ୍ମର ଶୀର୍ଷକକୁ ସାର୍ବଜନିକ କରିଛନ୍ତି ।
ଅଦ୍ୱୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର ନାମ ‘ଲଭ୍ୟପା’ରଖାଯାଇଛି । ଏହା ଏକ ତାମିଲ ହିଟ୍ ‘ଲଭ୍ ଟୁଡେ’ର ରିମେକ୍ । ପ୍ରେମ ଓ ଏଥିସହିତ ଜଡି଼ତ ଦ୍ୱନ୍ଦ୍ୱ ଉପରେ ଫିଲ୍ମର କାହାଣୀ ପର୍ଯ୍ୟବସିତ । ଏଥିରେ ମସ୍ତି ଓ କମେଡିର ଜବରଦସ୍ତ ତଡ଼କା ବି ରହିବ । ଫିଲ୍ମଟି ଆସନ୍ତାବର୍ଷ ଫେବ୍ରୃଆରୀ ୭ରେ ରିଲିଜ୍ ହେବାର ଅଛି । ଏଥିରେ ପ୍ରଥମ ଥର ଲାଗି ଖୁସି ଓ ଜୁନୈଦ ସ୍କ୍ରିନ୍ ସେୟାର କରିବା ଦେଖିବାକୁ ମିଳିବ । ମୁମ୍ବାଇରେ ଫିଲ୍ମର ପ୍ରଥମ ପର୍ଯ୍ୟାୟ ସୁଟିଂ ଶେଷ ହୋଇସାରିଛି ।
ସୂଚନାଥାଉକି, ପୂର୍ବରୁ ଉଭୟ ଖୁସି ଓ ଜୁନୈଦ୍ଙ୍କ ଫିଲ୍ମ ଓଟିଟିରେ ରିଲିଜ୍ ହୋଇସାରିଛି । ଖୁସି ‘ଦ ଆର୍ଚିଜ୍’ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ତାହା ନେଟ୍ଫ୍ଲିକ୍ସରେ ରିଲିଜ୍ ହୋଇଥିଲା । ସେହିପରି ଜୁନୈଦ୍ ଖାନ୍ଙ୍କୁ ‘ମହାରାଜା’ରେ ଦେଖିବାକୁ ମିଳିଥିଲା । ତାହା ମଧ୍ୟ ନେଟ୍ଫିକ୍ସରେ ରିଲିଜ୍ ହୋଇଥିଲା ।